Excuse Me Odisha

ଯାହା କହିବୁ ସତ କହିବୁ

ବାସ୍ତବ ପତିବ୍ରତା ନାରୀ ହୋଇଥାଏ ଏମିତି । ଜାଣନ୍ତୁ ମାତା ଅନସୂୟାଙ୍କ କଥା ।

ସେୟାର୍ କରନ୍ତୁ

ଥରେ ଦେବୀ ପାର୍ବତୀ , ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କୁ ନିଜର ପତିବ୍ରତା ଧର୍ମ ପାଇଁ ଗର୍ବ ହେଲା । କିନ୍ତୁ ଭଗବାନ କେବେବି କାହାରି ଗର୍ବକୁ ସହ୍ୟ କରନ୍ତି ନାହିଁ ବରଂ ତାହାର ନାଶ କରନ୍ତି । ଏହା ଦେଖି ଭଗବାନ ନାରଦଙ୍କ ମନରେ ଏହି ତିନି ଦେବୀଙ୍କ ମନରୁ ଅହଂକାର ଭାଙ୍ଗିବା ପାଇଁ ବିଚାର ସୃଷ୍ଟି କଲେ । ଏହାପରେ ନାରଦ ଯାଇ ମାତା ଲକ୍ଷ୍ମୀଙ୍କ ପାଖରେ ପହଞ୍ଚିଲେ । ଏହା ଦେଖି ଖୁସିରେ ମାତା ଲକ୍ଷ୍ମୀ ତାଙ୍କୁ ଆସିବାର କାରଣ ପଚାରିଲେ । ନାରଦ କହିଲେ ଯେ ସେ ଚିତ୍ରକୁଟରେ ଥିବା ମହର୍ଷି ଅତ୍ରୀଙ୍କ ଆଶ୍ରମକୁ ଯାଇଥିଲେ । ସେଠାରେ ସବୁଠାରୁ ଅଧିକ ପତିବ୍ରତା ତାଙ୍କ ପତ୍ନୀ ଅନସୂୟାଙ୍କୁ ଦେଖି ସେ ବହୁତ ଖୁସି ହୋଇଗଲେ । ସଂସାରରେ ତାଙ୍କ ଭଳି ପତିବ୍ରତା ଆଉ କେହି ନାହାଁନ୍ତି ଏବଂ ସେ ନିଜ ତପ ବଳରେ ଗଙ୍ଗା ନଦୀ ଭଳି ପବିର ନଦୀର ସୃଷ୍ଟି କରିଥିଲେ ।

ଏହା ଶୁଣି ଲକ୍ଷ୍ମୀ ମନେ ମନେ କ୍ରୋଧିତ ହୋଇ ଅନସୂୟାଙ୍କ ଉପରେ ଈର୍ଷା କଲେ ଏବଂ ଭଗବାନ ବିଷ୍ଣୁ ଯେତେବେଳେ ଆସି ତାଙ୍କୁ ତାଙ୍କ ମନ ଦୁଃଖର କାରଣ ପଚାରିଲେ ସେତେବେଳେ ସେ ବିଷ୍ଣୁଙ୍କୁ କହିଲେ ଅନସୂୟାଙ୍କ ପତିବ୍ରତା ଧର୍ମ ନଷ୍ଟ କରି ଦିଅନ୍ତୁ ବୋଲି । ଏହା ଶୁଣି ଭଗବାନ ବିଷ୍ଣୁ ଜାଣିଗଲେ ଯେ ତାହା ନାରଦଙ୍କ କାମ ଅଟେ ଏବଂ ସେ ମାତା ଲକ୍ଷ୍ମୀଙ୍କ କାମକୁ ପୁରା କରିବାକୁ ଚାଲିଗଲେ । ଏପଟେ ଯାଇ ନାରଦ କୈଳାଶରେ ମାତା ପାର୍ବତୀଙ୍କ ନିକଟରେ ପହଞ୍ଚିବା ପରେ ମାତା ପାର୍ବତୀ ଖୁସି ହେଲେ ଏବଂ ଅମୃତରେ ତିଆରି ହୋଇଥିବା ମୋଦକ ଦେଲେ । ଖାଇବା ପରେ ନାରଦ କହିଲେ ଯେ ସବୁ ଭୋଜନ ଠାରୁ ଦେବୀ ଅନସୂୟାଙ୍କ ହାତ ରନ୍ଧାକୁ କେହିବି ଟପି ପାରିବେ ନାହିଁ । ଏହାପାରେ ପାର୍ବତୀ ପଚାରିବା ପରେ ନାରଦ ଅନସୂୟା କିଭଳି ସାରା ସଂସାରର ସବୁଠାରୁ ପତିବ୍ରତା ନାରୀ ତାହା କହିଲେ ।

ଏହି ବିଷୟରେ ମହାଦେବଙ୍କୁ ପଚାରିବା ପରେ ମହାଦେବ ମଧ୍ୟ ସେହି ସମାନ କଥା କହିଲେ । ମାତା ପାର୍ବତୀ ତାଙ୍କ ପାଦ ଧରି କହିଲେ ଯେଉଁ ଦିନ ସେ ଅନସୂୟାଙ୍କ ପତିବ୍ରତା ଧର୍ମ ଭଙ୍ଗ କରିବେ ସେହିଦିନ ତାଙ୍କ ପାଦ ଛାଡ଼ିବେ । ଏହାପରେ ମହାଦେବ ଅତ୍ରୀଙ୍କ କୁଟୀର ଅଭିମୁଖେ ଚାଲିଗଲେ । ସେପଟେ ନାରଦ ଯାଇ ମାତା ସରସ୍ୱତୀଙ୍କୁ ମଧ୍ୟ ଅନସୂୟାଙ୍କ ବିଷୟରେ କହିଲେ । ଏହା ଶୁଣି ମାତା ସରସ୍ୱତୀ ବ୍ରହ୍ମାଙ୍କୁ ପଚାରିଲେ । ମାତା ସରସ୍ୱତୀ ପଚାରିବାରୁ ବ୍ରହ୍ମା ମଧ୍ୟ ତାହା ସତ୍ୟ ବୋଲି କହିଲେ । ଏହାପରେ ତିନି ଦେବତା ଯାଇ ଋଷି ରୂପ ଧାରଣ କରି ଅନସୂୟାଙ୍କ ଘରେ ପହଞ୍ଚିଲେ । ସେତେବେଳେ ମୁନି ଅତ୍ରି ନଥିଲେ । ଅନସୂୟା ତିନି ସାଧୁଙ୍କୁ ଭୋଜନ ଦେବାରୁ ସେମାନେ ଗ୍ରହଣ କଲେ ନାହିଁ ଏବଂ ଯଦି ସେ ନିର୍ବସ୍ତ୍ର ହୋଇ ଭୋଜନ ଦେବେ ତେବେ ଗ୍ରହଣ କରିବେ ।

ଏହାପରେ ଅନସୂୟା ସନ୍ଦେହ କରି ନିଜ ଦିବ୍ୟ ଦୃଷ୍ଟିରେ ଦେଖି ସବୁ କଥା ଜାଣିଗଲେ ଏବଂ ଏହା କହିଲେ ଯେ ଯଦି ସେ ବାସ୍ତବରେ ପତିବ୍ରତା ହୋଇଥିବେ ତେବେ ତିନି ଜଣ ଋଷି ଛୋଟ ବାଳକ ହୋଇଯିବେ । ଏହା କହିବା ମାତ୍ରେ ତିନି ଜଣ ଛୋଟ ବାଳକ ହୋଇଗଲେ । ଅନସୂୟା ସେମାନଙ୍କୁ କ୍ଷୀର ଖୁଆଇ ଗେଲ ମଧ୍ୟ କଲେ । ଏପଟେ ଅତ୍ରି ଆସି ପଚାରିବା ପରେ ଅନସୂୟା ତାଙ୍କ ପୁତ୍ର ବୋଲି କହିଥିଲେ । ଅତ୍ରି ମଧ୍ୟ ସବୁ ଘଟଣା ବିଷୟରେ ଜାଣି ପାରିଲେ । ଅନେକ ଦିନ ନିଜ ସ୍ୱାମୀ ନାଆସିବାରୁ ତିନି ଦେବୀ ବ୍ୟସ୍ତ ହୋଇଗଲେ । ସେମାନେ ଯାଇ ଚିତ୍ରକୁଟରେ ଏକାଠି ହୋଇ ନାରଦଙ୍କୁ ଦେଖିଲେ ଏବଂ ସବୁ ସତ କହିବାକୁ କହିଲେ । ନାରଦ ମଧ୍ୟ କହିଲେ ଯେ ତିନି ଭଗବାନ ସେଠାରେ ଛୋଟ ପିଲା ହୋଇ ଅନସୂୟା ମାତାଙ୍କ କୋଳରେ ଖେଳୁଛନ୍ତି । ଏହାଦେଖି ତିନି ଦେବୀ ବୁଝିଗଲେ ଯେ ଅନସୂୟା ହିଁ ବିଶ୍ୱର ସବୁଠାରୁ ପତିବ୍ରତା ନାରୀ । ଏହାପରେ ତିନି ଜଣ ଦେବୀ ଅନୁସୂୟାଙ୍କୁ କ୍ଷମା ମାଗିବା ପରେ ନିଜ ନିଜ ସ୍ୱାମୀଙ୍କୁ ଫେରି ପାଇଲେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *