Excuse Me Odisha

ଯାହା କହିବୁ ସତ କହିବୁ

ନର୍କରେ ଆତ୍ମାଙ୍କ ସହିତ କଣ ହୋଇଥାଏ ?

ସେୟାର୍ କରନ୍ତୁ

ସନାତନ ଧର୍ମ ଶାସ୍ତ୍ରରେ ଏହା ବର୍ଣ୍ଣିତ ହୋଇଛି ଯେ ମନୁଷ୍ୟ ଯାହା କର୍ମ କରିଥାଏ ସେହି ଅନୁସାରେ ଫଳ ପ୍ରାପ୍ତ କରିଥାଏ । ମନୁଷ୍ୟର ମୃତ୍ୟୁ ପରେ ସବୁ କର୍ମ ଫଳ ସ୍ଵର୍ଗରେ କିମ୍ବା ନର୍କରେ ପାଇଥାଏ । ମନୁଷ୍ୟ ଖାଲି ହାତରେ ଆସିଥାଏ ଏବଂ ଖାଲି ହାତରେ ହିଁ ଯାଇଥାଏ । କେବଳ ପାପ କିମ୍ବା ପୁଣ୍ୟ ହିଁ ମନୁଷ୍ୟ ସହିତ ଅନ୍ତିମ ଯାତ୍ରା କରିଥାଏ । ମନୁଷ୍ୟ ଅର୍ଜନ କରିଥିବା ସବୁ ଧନ ସମ୍ପତ୍ତି ମୃତ୍ୟୁ ପରେ ମର୍ତ୍ତରେ ହିଁ ରହିଯାଏ ।

ତେବେ ମୃତ୍ୟୁ ପରେ ଆତ୍ମାର ଯାତ୍ରା ସମ୍ବନ୍ଧରେ ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି । କିପରି ମୃତ୍ୟୁ ପରେ ଆତ୍ମାକୁ ଯମଲୋକକୁ ନିଆଯାଏ ଏବଂ କିପରି ପାପ ପୁଣ୍ୟର ତୁଳନା କରାଯାଏ । ଯାହା ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ । ଗରୁଡ଼ ପୁରାଣ ଅନୁଯାୟୀ ଭଗବାନ ବ୍ରହ୍ମାଙ୍କର ୧୪ ଜଣ ପୁତ୍ର ମାନା ଯାଏ , ଯେଉଁମାନେ ମନୁଷ୍ୟ ଦ୍ୱାରା କରାଯାଉଥିବା ପ୍ରତ୍ୟେକ କର୍ମକୁ ଦେଖିଥାନ୍ତି ।

ମନୁଷ୍ୟ କରୁଥିବା ଭୁଲ ବଶତଃ କାମ , ପାପ ପୁଣ୍ୟ ସେସବୁର ହିସାବ ଏମାନେ ନେଇ ଚିତ୍ରଗୁପ୍ତଙ୍କୁ ଦିଅନ୍ତି । ଚିତ୍ରଗୁପ୍ତ ମୃତ୍ୟୁ ପରେ ଯମଲୋକରେ ସବୁକିଛି ହିସାବ ଦିଅନ୍ତି । ଯଦି ବ୍ୟକ୍ତି ପୁଣ୍ୟ ଅର୍ଜନ କରି ଯମଦୂତଙ୍କ ସହିତ ଯମଲୋକକୁ ଯାଏ ତେବେ ତାକୁ ଯମରାଜ ମଇଁଷି ଉପରେ ଗଦା ନେଇ ଆଭୂଷଣ ଧାରଣ କରି ଶାନ୍ତ ବସିଥିବାର ନଜର ଆସିଥାଏ ।

ମାତ୍ର ଯେଉଁ ବ୍ୟକ୍ତି ପାପ ନେଇ ଯାଇଥାଏ ସେହି ବ୍ୟକ୍ତିକୁ ଯମରାଜ ୩୨ ମୁଣ୍ଡ ଧାରୀ ନଜର ଆସିଥାଏ ଏବଂ ଖୁବ ଭୟଙ୍କର ରୂପରେ ଦେଖା ଯାଇଥାଏ । ଏହାପରେ ଆତ୍ମା ଯମରାଜଙ୍କ ସାମ୍ନାକୁ ଯିବା ମାତ୍ରେ ଚନ୍ଦ୍ରଗୁପ୍ତ ଯମରାଜଙ୍କ ସାମ୍ନାରେ ସେହି ବ୍ୟକ୍ତିର ପାପ ପୁଣ୍ୟ ବିଷୟରେ କହିଥାଏ । ଯାହାକୁ ଶୁଣି ଆତ୍ମା ଭୟରେ ଥରିଥାଏ ଏବଂ କାନ୍ଦିଥାଏ । ଚନ୍ଦ୍ରଗୁପ୍ତ ଏହି ସମୟରେ ଆତ୍ମାକୁ କହନ୍ତି ଯେ ସେ ତାର କର୍ମ ଅନୁଯାୟୀ ହିଁ ଫଳ ପାଇବ ।

ସେଥିରେ କାନ୍ଦିବାର କିଛି ନାହିଁ । ଏହାପରେ ଆତ୍ମାର କର୍ମ ଅନୁଯାୟୀ ହିଁ ତାକୁ ଦଣ୍ଡ ମିଳିଥାଏ । ଏହାପରେ ଧର୍ମ ଅଧର୍ମ ଅନୁଯାୟୀ ତୁଳନା କରାଯାଏ ଏବଂ ପୁଣ୍ୟ କ୍ଷେତ୍ରରେ ଅଧିକ ପୁଣ୍ୟ ଥିଲେ ବ୍ୟକ୍ତିକୁ ସ୍ୱର୍ଗଲୋକ ପ୍ରାପ୍ତ ହୋଇଥାଏ । ଯଦି ଅଧର୍ମ ଅଧିକ ଥାଏ ତେବେ ତାକୁ ନର୍କଲୋକ ପ୍ରାପ୍ତ ହୋଇଥାଏ ।

କେହି ପାପୀ ଲୋକ ଯଦି ମର୍ତ୍ତରେ ପାପ କାମ କମ କରିଥାଏ ତେବେ ତାକୁ ନର୍କଲୋକରେ ଶାସ୍ତିର ଅବଧି କମ କରି ଦିଆଯାଏ । ଯଦି କେହି ପାପୀ ଲୋକ ଜୀବନସାରା ଧାର୍ମିକ କାର୍ଯ୍ୟ କରିଥାଏ ତେବେ ତାକୁ ମଧ୍ୟ ସ୍ୱର୍ଗଲୋକ ପ୍ରାପ୍ତି ହୋଇଥାଏ । ଯେଉଁ ବ୍ୟକ୍ତି ମୋକ୍ଷ ପାଇବାକୁ ଚାହୁଁଛି ତାକୁ ହଂସରେ ବସାଇ ପରମାତ୍ମାଙ୍କ ଦ୍ୱାରରେ ଛାଡ଼ି ଦିଆଯାଏ ।

ନର୍କଲୋକ ପ୍ରାପ୍ତ କରିଥିବା ବ୍ୟକ୍ତିକୁ ଯମଲୋକରୁ ସିଧା ଅଶୀପତ୍ର ବନକୁ ପଠାଇ ଦିଆଯାଏ । ଯେଉଁଠି ପାଞ୍ଚ ଯୋଜନରେ ଅଶୀ ପତ୍ରରେ ତିଆରି ହୋଇଥିବା ଜଙ୍ଗଲ ହୋଇଥାଏ । ଏକ ବିଶାଳକାୟ ଅଗ୍ନି ପ୍ରଜ୍ଜ୍ଵଳିତ ଗଛ ଥାଏ । ଯେଉଁଠି ସେହି ବ୍ୟକ୍ତିକୁ ଯମଦୂତ ଅଳଟା ଝୁଲାଇ ତାର ପାପ କର୍ମ ପାଇଁ ପିଟନ୍ତି ଏବଂ ଦଣ୍ଡ ଦିଅନ୍ତି ।

ଗରୁଡ଼ ପୁରାଣରେ ୮୪ ଲକ୍ଷ ନର୍କ ବିଷୟରେ କୁହାଯାଇଛି । ତାହା ମଧ୍ୟରୁ ୨୧ ଟି ଘୋର ନର୍କ ରହିଥାଏ । ପୃଥିବୀ ଲୋକରେ ଯେଉଁ ଲୋକ ନିଜର ପେଟ ପୋଷିବା ପାଇଁ ଅନ୍ୟକୁ କଷ୍ଟ ଦେଇଥାଏ ତାକୁ କୁଡ଼ମଲ କାଳସୂତ୍ର ନର୍କର ଦଣ୍ଡ ମିଳିଥାଏ । ଏହିଭଳି ଭିନ୍ନ ଭିନ୍ନ ପାପର ଦଣ୍ଡ ନିମନ୍ତେ ଭିନ୍ନ ଭିନ୍ନ ନର୍କପୂରକୁ ଯିବାକୁ ପଡ଼ିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *