Excuse Me Odisha

ଯାହା କହିବୁ ସତ କହିବୁ

କିପରି ପ୍ରଭୁ ଶ୍ରୀରାମଙ୍କର ଜନ୍ମ ହୋଇଥିଲା, ଆସନ୍ତୁ ଜାଣିବା ଶ୍ରୀରାମଙ୍କ ଜନ୍ମ କଥା ବିଷୟରେ ….

ସେୟାର୍ କରନ୍ତୁ

ଚୈତ୍ର ନବରାତ୍ରିର ନବମୀ ତିଥିରେ ରାମନବମୀ ପାଳନ କରାଯାଏ। ଏହି ବର୍ଷ ଏପ୍ରିଲ ୧୦ ତାରିଖରେ ରାମ ନବମୀ ପଡୁଛି। ଭଗବାନ ବିଷ୍ଣୁ ଶ୍ରୀରାମଙ୍କ ଅବତାର ହୋଇ ଏହିଦିନ ଜନ୍ମ ଗ୍ରହଣ କରିଥିଲେ।

ହିନ୍ଦୁ ଧର୍ମ ଅନୁସାରେ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥି ଦିନରେ ଭଗବାନ ଶ୍ରୀରାମ ପୃଥିବୀରେ ଜନ୍ମ ନେଇଥିଲେ। ପ୍ରତ୍ୟେକ ବର୍ଷ ଏହିଦିନରେ ରାମନବମୀ ପର୍ବ ପାଳନ କରାଯାଏ। ମହର୍ଷି ବାଲ୍ମିକୀଙ୍କ ବାଳ କାଣ୍ଡ ଏବଂ ତୁଳସୀ ଦାସଙ୍କ ରାମଚରିତ ମାନସ ଗ୍ରନ୍ଥରେ ମଧ୍ୟ ଏହି ତାରିଖରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିବା ଉଲ୍ଲେଖ କରାଯାଇଛି। ତେବେ ପ୍ରଭୁ ଶ୍ରୀରାମଙ୍କ ଜନ୍ମକୁ ନେଇ ଭିନ୍ନ ଭିନ୍ନ ମତ ରହିଛି ଅଧିକାଂଶ ବିଦ୍ୱାନ ମାନେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ସମୟକୁ ଅଭିଜିତ ମୁହୂର୍ତ୍ତ ବୋଲି କୁହନ୍ତି। ଏହି ପୃଥିବୀରେ ଭଗବାନ ଶ୍ରୀରାମ ପ୍ରାୟ ୫୧୦୦ ବର୍ଷ ପୂର୍ବେ ଅବତାର ନେଇଥିଲେ ବୋଲି ବିଦ୍ୱାନ ମାନେ ମତ ଦେଇଛନ୍ତି।

କିପରି ହୋଇଥିଲା ପ୍ରଭୁ ଶ୍ରୀରାମଙ୍କ ଜନ୍ମ?

ପୌରାଣିକ ଶାସ୍ତ୍ରରେ ଭଗବାନ ଶ୍ରୀରାମ ଜଣେ ଅବତାରୀ ପୁରୁଷ ଥିଲେ ବୋଲି ବର୍ଣ୍ଣନା କରାଯାଇଛି। ଭଗବାନ ବିଷ୍ଣୁ ପାପର ବିନାଶ କରିବା ପାଇଁ ନିଜର ସପ୍ତମ ଅବତାର ଶ୍ରୀରାମ ଅବତାର ଧାରଣ କରିଥିଲେ ବୋଲି ବିବେଚନା କରାଯାଏ। ଭଗବାନ ଶ୍ରୀରାମଙ୍କୁ ପୃଥିବୀର ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ମଧ୍ୟ କୁହାଯାଏ। କିନ୍ତୁ ପ୍ରଭୁ ଶ୍ରୀରାମ ଜଣେ ଅବତାରି ପୁରୁଷ ହୋଇ ମଧ୍ୟ ସାଂସାରିକ ପ୍ରକ୍ରିୟାର ଏକ ଅଂଶ ଭାବରେ ନିଜ ମାତୃ ଗର୍ଭରୁ ଜନ୍ମ ହୋଇଥିଲେ।ତେଣୁ ତାଙ୍କୁ ମନୁଷ୍ୟ ଜନ୍ମର ପ୍ରତ୍ୟେକ କର୍ତ୍ତବ୍ୟ ପାଳନ କରିବାକୁ ପଡ଼ିଥିଲା।

ପ୍ରଭୁ ଶ୍ରୀରାମ ଅଯୋଧ୍ୟାର ରାଜା ଦଶରଥ ଏବଂ ତାଙ୍କ ପତ୍ନୀ କୌଶଲ୍ୟାଙ୍କ ପୁତ୍ର ଥିଲେ। ବାସ୍ତବରେ, ରାଜା ଦଶରଥଙ୍କର ପୁତ୍ର ସନ୍ତାନ ହେଉ ନଥିଲା। ସେ ପୁତ୍ର ସନ୍ତାନ ପାଇବା ପାଇଁ ଏକ ଯଜ୍ଞର ଆୟୋଜନ କଲେ।ଏହି ଯଜ୍ଞକୁ ରାଜା ଦଶରଥ ଅନେକ ମହାନ ଋଷି, ତପସ୍ୱୀ ଏବଂ ବିଦ୍ୱାନ ମାନଙ୍କୁ ନିମନ୍ତ୍ରଣ କଲେ।ଏହାପରେ ଗୁରୁ ବଶିଷ୍ଠ ଏବଂ ଶୃଙ୍ଗ ଋଷିଙ୍କ ନେତୃତ୍ୱରେ ଯଜ୍ଞ ଆରମ୍ଭ ହୋଇଥିଲା। ଯଜ୍ଞରେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ବିଦ୍ୱାନ ମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ମହାନ ଯଜ୍ଞ ବୈଦିକ ମନ୍ତ୍ରୋଚ୍ଚାର ଦ୍ୱାରା ସମାପନ ହୋଇଥିଲା। ଯଜ୍ଞ ସମାପ୍ତ ହେବା ପରେ, ରାଜା ଦଶରଥ ଅନେକ ଦାନ ଦେଇ ସମସ୍ତ ତପସ୍ୱୀ ଏବଂ ବ୍ରାହ୍ମଣମାନଙ୍କୁ ବିଦାୟ ଦେଇଥିଲେ।

ରାଜା ଦଶରଥ ଯଜ୍ଞର ପ୍ରସାଦକୁ ନିଜ ତିନି ପତ୍ନୀ କୌଶଲ୍ୟା, ସୁମିତ୍ରା ଏବଂ କୈକେଇଙ୍କୁ ଖାଇବାକୁ ଦେଇଥିଲେ। ପ୍ରସାଦର ଶୁଭ ପରିଣାମ ସ୍ୱରୂପ, ରାଣୀ କୌଶଲ୍ୟା ଗର୍ଭବତୀ ହୋଇଥିଲେ ଏବଂ ଏହିପରି ଭାବରେ ଚୈତ୍ର ଶୁକ୍ଳ ପକ୍ଷ ନବମୀରେ ପ୍ରଭୁ ଶ୍ରୀରାମ ଜନ୍ମ ନେଇଥିଲେ। କୁହାଯାଏ କି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ବେଳେ ତାଙ୍କ ରଙ୍ଗ ନୀଳ ଥିଲା। ଏହାସହିତ ତାଙ୍କ ଚେହେରା ଉଜ୍ଜ୍ୱଳ ଏବଂ ଅତ୍ୟନ୍ତ ଆକର୍ଷଣୀୟ ମଧ୍ୟ ଥିଲା। ଯଜ୍ଞ ପ୍ରସାଦର ଫଳ ସ୍ୱରୂପ ରାଜା ଦଶରଥଙ୍କ ଦ୍ୱିତୀୟ ରାଣୀ ସୁମିତ୍ରା ଦୁଇ ପୁତ୍ରଙ୍କୁ ଜନ୍ମ ଦେଇଥିଲେ ଏବଂ କୈକେଇ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ରାଜା ଦଶରଥଙ୍କର ସମସ୍ତ ପୁତ୍ର ତେଜସ୍ୱି ଓ ବିନମ୍ର ଥିଲେ। ଏହି ଚାରି ଭାଇଙ୍କ ନାମ ରାମ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନ ରଖାଯାଇଥିଲା।

ଆହୁରି ମଧ୍ୟ କୁହାଯାଏ କି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ପରେ ଦେବତାମାନେ ଆକାଶରୁ ପୁଷ୍ପ ବର୍ଷା କରିଥିଲେ। ଏହାସହିତ ସ୍ୱର୍ଗଲୋକରେ ଥିବା ଅପସରା ମାନେ ନୃତ୍ୟ କରିଥିଲେ। ଚାରିଆଡେ ଆନନ୍ଦ ଉଲ୍ଲାସ ବାତାବରଣ ହୋଇଥିଲା।ଚାରି ଭାଇଙ୍କ ମଧ୍ୟରେ ପ୍ରଭୁ ଶ୍ରୀରାମ ଅଧିକ ବିଦ୍ୱାନ, ବିନମ୍ର ଓ ଗୁଣବାନ ଥିଲେ। ସେଥିପାଇଁ ତିନି ଭାଇ ପ୍ରଭୁ ଶ୍ରୀରାମଙ୍କୁ ବହୁତ ପ୍ରେମ କରୁଥିଲେ ଏବଂ ସମ୍ମାନ କରୁଥିଲେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *